ଥମୁନି ଧ୍ବଂସର ତାଣ୍ଡବ, ୧୮ ଦିନର ଯୁଦ୍ଧରେ ଛାରଖାର ହେବାକୁ ବସିଲାଣି ୟୁକ୍ରେନ

ୟୁକ୍ରେନ : ଥମୁନି ଧ୍ବଂସର ତାଣ୍ଡବ । ୧୮ ଦିନର ଯୁଦ୍ଧରେ ଛାରଖାର ହେବାକୁ ବସିଲାଣି ୟୁକ୍ରେନ । ଋଷର ଘନ ଘନ ରକେଟ ଓ ମିସାଇଲ ମାଡ଼ରେ ଭାଙ୍ଗି ପଡ଼ିଲାଣି ଅନେକ ଅଟାଳିକା । ଗୁଳି ଓ ବୋମା ମାଡ଼ରେ ଚାଲି ଗଲାଣି ଅନେକ ନିରିହଙ୍କ ଜୀବନ । ଯୁଦ୍ଧର ପରିଣତି ଯେ କ’ଣ ହୋଇପାରେ ତାହା ଏହି ଦୃଶ୍ୟ ଦେଖିବା ପରେ ଆପଣ ଠିକ୍ ବୁଝି ପାରୁଥିବେ । ଯେଉଁ ସହର ଦିନେ ଆଲୋକମାଳାରେ ସଜେଇ ହେଉଥିଲା ଆଜି ତାହା ଜନଶୂନ୍ୟ । ବୋମାମାଡ଼ରେ ଜଳିପୋଡ଼ି ଛାରଖାର ହୋଇଗଲାଣି ଅନେକ ସହର । ୟୁକ୍ରେନ ରାଜଧାନୀ କିଭ୍ କୁ ଚାରିପଟୁ ଘେରି ଗଲେଣି ଋଷ ସୈନିକ । ତଥାପି ହାର ମାନିବାକୁ ନାରାଜ ୟୁକ୍ରେନ । ସୁପର ପାୱାର ଋଷ ଆଗରେ ଦମ୍ଭ ଦେଖାଇ ଛାଡ଼ା ହୋଇଛନ୍ତି ୟୁକ୍ରେନ ଆର୍ମୀ । ଏହାରି ଭିତରେ ଉଭୟ ଦେଶ ଶାନ୍ତି ପାଇଁ ପୁଣି ଥରେ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଛନ୍ତି । ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନସ୍କି ଜେରୁସେଲମରେ ଋଷ ରାଷ୍ଟ୍ରପତି ପୁତିନଙ୍କୁ ଭେଟିବାକୁ ପ୍ରସ୍ତାବ ରଖିଛନ୍ତି । ଏହାସହ ମସ୍କୋର ବ୍ୟବହାର ମଧ୍ୟ ବଦଳୁଛି । ଖୁବଶୀଘ୍ର ପୁତିନ ଶାନ୍ତି ପ୍ରସ୍ତାବରେ ରାଜି ହୋଇପାରନ୍ତି ବୋଲି ଆଶା କରାଯାଇଛି ।

ଭାରତ ମଧ୍ୟ ଋଷ-ୟୁକ୍ରେନ ଯୁଦ୍ଧ ନେଇ ଚିନ୍ତା ପ୍ରକଟ କରିଛି । ଏନେଇ ଦିଲ୍ଲୀରେ ଏକ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ୟୁକ୍ରେନକୁ ଅତିରକ୍ତ ଅସ୍ତ୍ରଶସ୍ତ୍ର ଓ ଉପକରଣ ପାଇଁ ୨୦୦ ନିୟୁତ ଡଲାର ମଞ୍ଜୁର କରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିଯା ପ୍ରକାଶ କରିଛି ଋଷ । ୟୁକ୍ରେନ୍ ପାଉଥିବା ପାଶ୍ଚାତ୍ୟ ଯୁଦ୍ଧାସ୍ତ୍ରକୁ ଧ୍ୱଂସ କରିବାକୁ ରୁଷ ପକ୍ଷରୁ ଧମକ ଦିଆଯାଇଛି । ପୂର୍ବରୁ ମଧ୍ୟ ପୁତିନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ଏଥିରେ ମୁଣ୍ଡ ନ ପୁରାଇବା ପାଇଁ ଧମକ ଦେଇଥିଲେ । ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅର୍ଥ ଏହି ରାଷ୍ଟ୍ରଗୁଡିକ ସିଧାସଳଖ ରୁଷ୍ ବିରୋଧୀ ଯୁଦ୍ଧରେ ସାମିଲ ହେବା ସହ ସମାନ ବୋଲି କହିଛନ୍ତି ପୁତିନ । ୟୁକ୍ରେନକୁ ଯୁଦ୍ଧ ପ୍ରସଙ୍ଗରୁ ଓହରିବାକୁ ପ୍ରବର୍ତ୍ତାଇବା ପରିବର୍ତ୍ତେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଏୟାର ଡିଫେନ୍ସ ସିଷ୍ଟମ, ଟ୍ୟାଙ୍କ୍ ଓ ବିମାନ ବିଧ୍ୱଂସୀ କ୍ଷେପଣାସ୍ତ୍ର, ଭଳି ଯୁଦ୍ଧାସ୍ତ୍ର ଯୋଗାଉଥିବା ଅଭିଯୋଗ କରିଛି ଋଷ ।

Leave a Reply

Your email address will not be published. Required fields are marked *