ଭୁବନେଶ୍ୱର : ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବର୍ବରକାଣ୍ଡକୁ ନେଇ ବିରୋଧ ଜାରି ରହିଛି । ବିଧାୟକଙ୍କ ଏପରି ନୃଶଂସକାଣ୍ଡ ପରେ ଘନେଇବାରେ ଲାଗିଛି ବିବାଦ । ପ୍ରତିବାଦରେ ଆଜି ସମସ୍ତ ସହରାଞ୍ଚଳରେ କଳାପଟି ବାନ୍ଧି ସତ୍ୟାଗ୍ରହ କରୁଛି ବିଜେପି । ଗତକାଲି ଏଆଇଆଇଏମଏସ ଯାଇ ଆହତମାନଙ୍କୁ ଭେଟିଥିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଫାଷ୍ଟଟ୍ରାକ୍ କୋର୍ଟ ଜରିଆରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ପ୍ରଶାନ୍ତଙ୍କ ନାଁରେ ଲାଗିଛି ଦଫା ୩୦୭, ୩୨୬, ୩୫୩, ୩୨୩, ୩୨୪, ୩୩୨, ୩୩୩ ଏବଂ ୩୫୩ । ୩୦୭ ହେଉଛି ହତ୍ୟା ଉଦ୍ୟମ । ଯେଉଁଥିରେ ଅତି କମରେ ୧୦ ବର୍ଷର ଜେଲଦଣ୍ଡ ହୋଇପାରେ । ୨ ବର୍ଷର ଜେଲଦଣ୍ଡ ହେଲେ ସଦସ୍ୟତା ରଦ୍ଦ ହେବ । ଏବେ ବଡ଼ ପ୍ରଶ୍ନ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ତ ?
ଏଠାରେ କହି ରଖୁଛୁ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡ଼ି ଚଳାଇ କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ବିଧାୟକଙ୍କ ଗାଡ଼ି ଚାପାରେ ପ୍ରାୟ ୨୨ ରୁ ଉର୍ଦ୍ଧ୍ବ ଜଣ ଗୁରୁତର ହୋଇଥିଲେ । ସେଥି ମଧ୍ୟରେ ୧୫ ଜଣ ବିଜେପି କର୍ମୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ବିଧାୟକଙ୍କ ଗାଡ଼ି ଧକ୍କାରେ ୯ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ବିଧାୟକଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ବିଧାୟକ ଆହତ ହୋଇଛନ୍ତି । ତାଙ୍କର ଚିକିତ୍ସା ଜାରିଥିବାବେଳେ, ସୁସ୍ଥ ହେବା କ୍ଷଣି ତାଙ୍କୁ ଗିରଫ କରାଯିବ ବୋଲି କହିଛି ବିଜେଡି ।
