ଚୌଦ୍ୱାର : ମଙ୍ଗୁଳିଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟି ୨ ଏକର ପରିମିତ ଜମିରେ ଗଦା ହୋଇଥିବା ପୁରୁଣା ଟ୍ରକ୍, ଛୋଟଗାଡ଼ି ଏବଂ ବିପୁଳ ପରିମାଣର କବାଡ଼ି ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବରପାଇ, ଚୌଦ୍ୱାର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଦୀର୍ଘ ସମୟ ଧରି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ସଠିକ୍ କାରଣ ଓ କ୍ଷୟକ୍ଷତିର ପରିମାଣ ଜଣାପଡ଼ି ନାହିଁ । ଅନ୍ୟ ଏକ ଘଟଣାରେ ଚାରବାଟିଆ ଲେବର ଟେନାମେଣ୍ଟସ୍ଥିତ ବିରାଟ କଟକ ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟି ବିଦ୍ୟାଳୟର ବହିଖାତା, ରେକର୍ଡ, କାଗଜପତ୍ର ଓ ଆସବାବପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି । ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।
