ନୀଳଗିରି : ବରକୋଳି ଓ ଖତ ଗାଡ଼ିଆର ଗୋବର ପୋକ ଲୋଭରେ କୁଲଡିହା ଜଙ୍ଗଲରୁ ୩ଟି ଭାଲୁ କ୍ରମାଗତ ଭାବେ ଜଙ୍ଗଲ ନିକଟବର୍ତ୍ତୀ ଗାଁକୁ ଆସି ଉପଦ୍ରବ ଘଟାଇ ଚାଲିଛନ୍ତି । ତେବେ ଏହି ଭାଲୁଙ୍କ ମିଳିତ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ୱର ଜିଲା ନୀଳଗିରି ଥାନା ତଥା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଜୁରିଆପାଟଣା, କଣ୍ଟାବଣିଆ, ଗୋପ, ଗୁଡ଼ିଖୋଳା ଆଦି ଗାଁରେ କ୍ରମାଗତ ଭାବେ ମୁହଁ ଅନ୍ଧାର ହେଲେ ୩ଟି ଭାଲୁ ଜଙ୍ଗଲରୁ ଆସି ଉପଦ୍ରବ କରୁଛନ୍ତି । ଭାଲୁ ଭୟରେ ଲୋକେ ତାଟି କବାଟ ପକାଇ ଦେଉଛନ୍ତି । ସେମାନେ ଖତ ଗାଡ଼ିଆରୁ ପୋକ ଏବଂ ବରକୋଳି ଲୋଭରେ ଜଙ୍ଗଲରୁ ଜନବସତିକୁ ଆସୁଥିବା କୁହାଯାଉଛି । ଏମାନଙ୍କ ଉପଦ୍ରବ ବୃଦ୍ଧି ପାଉଥିବାରୁ ଅଞ୍ଚଳବାସୀ ଏକତ୍ରୀତ ହୋଇ ୫ ଦିନ ହେବ ସେମାନଙ୍କୁ ଗାଁରୁ ଘଉଡ଼ାଉଛନ୍ତି। ଏହି ଭାଲୁ ୩ଟି ପଞ୍ଚଲିଙ୍ଗେଶ୍ୱର ସ୍ଥିତ ସାଇମନ୍ଦିର ଆଡ଼କୁ ଖସି ଆସି କଣ୍ଠିଆଟିକର ଗାଁର ଭାଲୁ ଓରଫ ପଦ୍ମନାଭ ନାୟକ (୫୨)ଙ୍କୁ ଅତର୍କିତ ଆକ୍ରମଣ କରି କ୍ଷତାକ୍ତ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ନୀଳଗିରି, ବାଲେଶ୍ୱର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
