ଜଳ ମିସନକୁ ଧକ୍କା, ଗ୍ରାମାଞ୍ଚଳରେ ୫୬% ଘରେ ପହଞ୍ଚିନି ପିଇବା ପାଣି

ଭୁବନେଶ୍ବର : ଫାଲ୍‌ଗୁନ ସରିନି; କିନ୍ତୁ ବଢିଲାଣି ଖରା । ଗତକାଲି ରାଜ୍ୟର ୬ଟି ସ୍ଥାନରେ ଦିନ ତାପମାତ୍ରା ସାଢେ ୩୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ, ଶିଳ୍ପ ସହର ଅନୁଗୋଳରେ ସର୍ବାଧିକ ୩୭.୫ ପ୍ରତିଶତ ପହଞ୍ଚିଛି । ରାଜଧାନୀରେ ଆଗାମୀ ୪୮ ଘଣ୍ଟାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । ଏପରିକି ମାର୍ଚ୍ଚ ୧୫ ତାରିଖରୁ କ୍ରମାଗତ ୪୦ ଡିଗ୍ରୀ ଉପରେ ପାରଦ ପହଞ୍ଚିବା ପୂର୍ବାନୁମାନ କରାଯାଇଛି ।

ଏଭଳି ସ୍ଥିତିରେ ଏବେଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହେଲାଣି ପାନୀୟ ଜଳ ସମସ୍ୟା । ନଦୀନାଳ ଶୁଖିଲାଣି । ଏଣେ ପ୍ରତି ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ ଜାରିରଖି ସଫଳତା ପାଇଥିବା ଦାବି କରୁଛନ୍ତି । ଏଥି ପାଇଁ ୨୦୨୪ ମସିହା ସମୟ ସୀମା ବି ଧାର୍ଯ୍ୟ କରାଯାଇଛି । ଜାତୀୟ ଜଳ ଜୀବନ ମିସନ ଅନ୍ତର୍ଗତ ‘ହର ଘର ନଲ୍‌ ସେ ଜଲ୍‌’ ହେଉ ବା ରାଜ୍ୟ ସରକାରଙ୍କ ଜଳ ମିସନର କ୍ବିୟାନ୍ବୟନ କେଉଁଠି ପହଞ୍ଚିଛି ତାହାର ତଥ୍ୟକୁ ବିଶ୍ଳେଷଣ କଲେ ସ୍ଥିତିର ଗମ୍ଭୀରତା ବୁଝି ହେବ । ଜଳ ଉତ୍ସର ସୁରକ୍ଷା ଓ ସଂରକ୍ଷଣ ଠାରୁ ଏହାର ପୁର୍ନ ସଂରଚନା କରିବା ପର୍ଯ୍ୟନ୍ତ ସବୁକିଛି କୁହାଯାଉଛି । ଜନତାଙ୍କ ସହଯୋଗ ବି ଲୋଡାଯାଉଛି । ଅଥଚ ଗ୍ରାମାଞ୍ଚଳର ୫୬ ପ୍ରତିଶତ ଘରେ ପିଇବା ପାଣି ବ୍ୟବସ୍ଥା ହୋଇପାରିନି । ଉପାନ୍ତ ମାଲକାନଗିରି ଜିଲାରେ ମିସନର ସଫଳତା ଅନତ୍ୟ ନଗଣ୍ୟ ।

ଏଣେ ରାଜ୍ୟର ଉଭୟ ଭୂପୃଷ୍ଠ ଓ ଭୂତଳ ଜଳସ୍ତର ହ୍ରାସ ଖସିଲାଣି । ୨୦୧୩ ରୁ ୨୦୧୭ ମଧ୍ୟରେ ରାଜ୍ୟରେ ଭୂତଳ ଜଳ ନିର୍ଭରତା ୩୦ ରୁ ୪୨ % କୁ ବୃଦ୍ଧି ପାଇଥିବାରୁ ଭୂତଳ ଜଳସ୍ତର କ୍ରମାଗତ ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ର ଭୂତଳ ଜଳ ବୋର୍ଡ ତଥ୍ୟ ଅନୁଯାୟୀ, ଚାନ୍ଦବାଲି, ଏରସମା, ମାର୍ଶାଘାଇ, ମହାକାଳପଡ଼ା, ରାଜକନିକା ଓ ରାଜନଗର ଭଳି ଉପକୂଳ ଅଞ୍ଚଳରେ ଭୂତଳ ଜଳ ଲବଣଯୁକ୍ତ ଥିବାବେଳେ ବାଲିଆପାଳ, କୋରେଇ, ଗରଦପୁର, ଭୁବନେଶ୍ବର, ବୋଲଗଡ଼ ଓ ନୂଆପଡ଼ା ଭୂତଳ ଜଳସ୍ତର ଖସିବାରେ ଲାଗିଛି । ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳରେ ୫୬ ପ୍ରତିଶତ ଘରକୁ ଏପର୍ଯ୍ୟନ୍ତ ପାନୀୟ ଜଳ ପହଞ୍ଚି ପାରିନି । ୨୦୨୪ ସୁଦ୍ଧା ରାଜ୍ୟର ଶତପ୍ରତିଶତ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା କିଛି ଦର୍ଶାଉଛି । ରାଜ୍ୟର ଗ୍ରାମାଞ୍ଚଳରେ ମୋଟ ୮୮ ଲକ୍ଷ ୩୩ ହଜାର ୫୩୬ ଘର ଥିବାବେଳେ ଏପର୍ଯ୍ୟନ୍ତ ୩୮ ଲକ୍ଷ ୭୬ ହଜାର ୪୧୮ ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିଛି । ୨୦୧୯ ମସିହାରେ କେନ୍ଦ୍ର ସରକାର ‘ଜଳ ଜୀବନ ମିଶନ’ ଆରମ୍ଭ କରିଥିଲେ । ପ୍ରତି ଘରକୁ ନଳରେ ପାଇପ୍ ଜଳ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ୩ ବର୍ଷରେ ୩୫ ଲକ୍ଷ ୬୫ ହଜାର ୫୫୨ ଘରକୁ ଜଳ ଯୋଗାଇ ଦିଆଯାଇ ପାରିଛି ।

ନୂଆପଡ଼ାର ସର୍ବାଧିକ ଓ ମାଲକାନଗିରିର ସର୍ବନିମ୍ନ ଘରେ ଏହି ଯୋଜନାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ପାରିଛି । ନୂଆପଡ଼ାରେ ୮୭.୫୭% ଘରକୁ ପାନୀୟ ଜଳ ପହଞ୍ଚି ପାରିଛି । ଏଠାରେ ମୋଟ ୧ ଲକ୍ଷ ୩୫ ହଜାର ୨୬୬ ଘର ଥିବାବେଳେ, ୧ ଲକ୍ଷ ୧୮ ହଜାର ୪୪୫ ଘରକୁ ପାନୀୟ ଜଳ ପହଞ୍ଚି ପାରିଛି । ଅନ୍ୟ ପକ୍ଷରେ ମାଲକାନଗିରିର ସର୍ବନିମ୍ନ ୨୩.୪୦% ଘରକୁ ପାନୀୟ ଜଳ ପହଞ୍ଚିଛି । ଏଠାରେ ୧ ଲକ୍ଷ ୨୪ ହଜାର ୪୧୩ ଘରରୁ ୨୯ ହଜାର ୧୧୩ଟି ଘରକୁ ପାନୀୟ ଜଳ ପହଞ୍ଚିପାରିଛି । ସେହିପରି ୫୦% ଘରକୁ ପାନୀୟ ଜଳ ଯୋଗାଣ ମଧ୍ୟରେ ନୂଆପଡ଼ା ବ୍ୟତୀତ ୮ଟି ଜିଲା ରହିଛି । ଭଦ୍ରକରେ ୭୧.୨୭%, କେନ୍ଦୁଝରର ୬୯.୨୭%, ବୌଦ୍ଧ ୬୩.୧୬%, ଢ଼େଙ୍କାନାଳ ୫୭.୯୬%, ଦେବଗଡ଼ର ୫୫.୯୨%, ଅନୁଗୋଳର ୫୨.୫୩%, ସୁବର୍ଣ୍ଣପୁରର ୫୨.୨୯% ଓ ଖୋର୍ଦ୍ଧାର ୫୦.୧୬% ଘରକୁ ପାନୀୟ ଜଳ ପହଞ୍ଚି ପାରିଛି ।

ସୂଚନାଯୋଗ୍ୟ, ଜଳ ଜୀବନ ମିଶନ ପୂର୍ବରୁ ୧୫ ଅଗଷ୍ଟ ୨୦୧୯ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳରେ ମାତ୍ର ୩.୫୨% ପ୍ରତିଶତ ଅର୍ଥାତ ୩ ଲକ୍ଷ ୧୦ ହଜାର ୮୬୬ ଘରକୁ ପାନୀୟ ଜଳ ଯୋଗାଣ ହୋଇପାରିଥିଲା । ସେହିପରି ହର ଘର ଜଳ ଜିଲା ଓ ହର ଘର ଜଳ ବ୍ଲକ ଯୋଜନାରେ ଓଡ଼ିଶାର କୌଣସି ଜିଲା କିମ୍ବା ବ୍ଲକ ସ୍ଥାନ ପାଇ ପାରି ନ ଥିବାବେଳେ ୨୨୬ ପଞ୍ଚାୟତ ଓ ୬,୮୦୮ଟି ଗାଁରେ ପାନୀୟ ଜଳ ପହଞ୍ଚି ପାରିଛି । ତେଲଙ୍ଗାନାରେ ସର୍ବାଧିକ ୩୨, ହରିୟାଣାର ୨୨ ଓ ପଞ୍ଜାବର ୧୭ ଜିଲାକୁ ଏହି ଯୋଜନାରେ ଜଳ ପହଞ୍ଚି ପାରିଛି ।

Leave a Reply

Your email address will not be published. Required fields are marked *