ଗୋଟିଏ ଚକାର ଜେଡ୍‌ ସ୍କୁଟର

ଗାଡ଼ିଟେ କିଣିବାକୁ ଯେତିକି ସଉକ୍ ଲାଗେ, ତା’ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଗାଡ଼ିକୁ ରଖାଯିବାର ଯଥା ସ୍ଥାଟିଏ ଥିବା ଦରକାର। ଏହି ପରିପ୍ରେକ୍ଷୀରେ ଆମ ଭାରତୀୟଙ୍କ ଚିନ୍ତାଧାରା ହେଉଛି ଘରେ ଲୋକସଂଖ୍ୟା ତୁଳନାରେ ଗାଡ଼ିର ସଂଖ୍ୟା ଅଧିକ। ବିଶେଷ କରି ବଡ଼ବଡ଼ିଆଙ୍କ ଘରେ ଆଜିକାଲି ଏହି ଗାଡ଼ିର ମୋହ ବଢ଼ୁଥିବାର ଦେଖାଗଲାଣି। ବିଦେଶୀ ରାଇଜଗୁଡ଼ିକ ଏ ଦିଗରେ ଅଳ୍ପବହୁତରେ ସଚେତନ। ଜାପାନ, ଇଂଲଣ୍ଡ ଆଦି ରାଷ୍ଟ୍ରରେ ଏବେ ଲୋକେ ଗାଡ଼ିମଟରରୁ ଓହ୍ଲାଇ ସାଇକଲରେ ନଚେତ୍ ପାଦରେ ଚାଲି ଯାତାୟତ କରୁଛନ୍ତି। ଏହା ଦ୍ବାରା ପ୍ରଦୂଷଣ ରୋକାଯାଇପାରୁଥିବାର ସେମାନଙ୍କ ମତ। ପ୍ରଦୂଷଣ ସହ ସ୍ଥାନାଭାବ ମଧ୍ୟ ମୁଖ୍ୟ ସମସ୍ୟା ପାଲଟିଛି।ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଲଣ୍ଡନର ଏକ କମ୍ପାନୀ ଗୋଟିଏ ଚକାର ସ୍କୁଟରର ବଜାର ପ୍ରବେଶ କରାଇବାର ଯୋଜନାରେ ଅଛି। କମ୍ପାନୀର କର୍ମଚାରୀଙ୍କ କହିବାନୁସାରେ, ଛୋଟ ଗୋଟିଏ ଚକାର ସ୍କୁଟରକୁ ସହଜରେ ତଥା ସୁବିଧାରେ ଅଳ୍ପ ସ୍ଥାନରେ ରଖିହେବ। ମଧ୍ୟବର୍ଗୀୟ କର୍ମଜୀବୀ ଲୋକଙ୍କ ଆୟ ଅନୁସାରେ ଏହି ସ୍କୁଟର ତିଆରି କରାଯାଇଥିବାବେଳେ ଏହାର ମୂଲ୍ୟ ୬୫ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ବ୍ୟାଟେରି ଚାଳିତ ଗୋଟିଏ ଚକାର ସ୍କୁଟରର ପ୍ରଚାର ସାମାଜିକ ଗଣମାଧ୍ୟମରେ ଜୋର୍‌ସୋର୍‌ରେ ହେଉଥିବାବେଳେ ଧନିକ ଗୋଷ୍ଠୀ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଏଭଳି ସ୍କୁଟର କିଣିବାରେ ଆଗ୍ରହ ପ୍ରକାଶ କରିଛନ୍ତି। ଗୋଟିଏ ଚକାର ଏହି ସ୍କୁଟରର ନାମ ‘ଜେଡ୍ ସ୍କୁଟର ତଥା ସେଲ୍ଫ ବାଲାନସିଙ୍ଗ ସ୍କୁଟର’ ରଖାଯାଇଛି। ଜନବହୁଳ ରାଷ୍ଟ୍ରରେ ଗାଡ଼ି ରଖିବା ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ଗୋଟିଏ ଚକା ସହ ଗୋଟିଏ ଆସନ ଥିବା ଏହି ସ୍କୁଟର ସମସ୍ତଙ୍କ ଆବଶ୍ୟକତା ହୋଇପାରେ ବୋଲି କମ୍ପାନୀର ଆଶା।

Leave a Reply

Your email address will not be published. Required fields are marked *