ଭୁବନେଶ୍ୱର : ଦୁର୍ବଳ ମୌସୁମୀ ବୃଷ୍ଟିପାତ କାରଣରୁ ରାଜ୍ୟର ପ୍ରାୟ ୨୫ ଜିଲାରେ ମରୁଡ଼ି ଆଶଙ୍କା ଏମିତିକି କେନ୍ଦୁଝର, ବୌଦ୍ଧ, ଅନୁଗୋଳ, ଯାଜପୁର ଓ ଭଦ୍ରକ ଆଦି ୫ ଜିଲାରେ କମ୍ ବୃଷ୍ଟିପାତ ହୋଇଥିବାରୁ ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ତଥ୍ୟ ଅନୁଯାୟୀ, କେନ୍ଦୁଝରରେ ଜୁନ୍ରେ ୩୬.୧ ପ୍ରତିଶତ କମ ବର୍ଷା ହୋଇଥିବାବେଳେ ଜୁଲାଇରେ ୨୭ ଏବଂ ଅଗଷ୍ଟରେ ପ୍ରାୟ ୭୦ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି। ଜିଲାରେ ୮୦୩ ମିଲିମିଟର ବର୍ଷା ହେବା କଥା; କିନ୍ତୁ ୪୬୨ ମିଲିମିଟର ଯାହାକି ପ୍ରାୟ ଅଧା ପ୍ରତିଶତ ବୃଷ୍ଟିପାତ ହୋଇଛି। ସେହିପରି ବୌଦ୍ଧରେ ଏହି ୩ ମାସ ମଧ୍ୟରେ ୧ ହଜାର ମିଲିମିଟର ବର୍ଷାର ଆବଶ୍ୟକ ବେଳେ ୫୬୪ ମିଲିମିଟର ବର୍ଷା ହୋଇଥିବାବେଳେ ଅନୁଗୋଳରେ ୮୨୬.୫ ଆବଶ୍ୟକବେଳେ ୪୬୬.୫ ମିଲିମିଟର, ଯାଜପୁରରେ ୮୩୧.୫ ମିଲିମିଟର ସ୍ଥାନରେ ୪୬୦ ଏବଂ ଭଦ୍ରକରେ ୭୧୩ ସ୍ଥାନରେ ୩୭୦ ମିଲିମିଟର ବର୍ଷା ହୋଇଛି। ଏହି ପାଞ୍ଚ ଜିଲାରେ ପରିସ୍ଥିତି ଏବେ ଭୟାନକ ହୋଇଛି। ଯଦି ସରକାରଙ୍କ ପକ୍ଷରୁ ତୁରନ୍ତ ଏହାର ପ୍ରତିକାର କରା ନଯାଏ ତେବେ ଚାଷୀମାନଙ୍କ ଭାତହାଣ୍ଡି ଉଜୁଡ଼ି ଯିବାର ଆଶଙ୍କା ଦେଖାଦେଇଛି।
ଏହି ୫ଜିଲାକୁ ବାଦ୍ ଦେଲେ ଖୋର୍ଦ୍ଧା, ଜଗତସିଂହପୁର, ନୂଆପଡା, ନବରଙ୍ଗପୁର, ପୁରୀ, ଗଜପତି, ସୁବର୍ଣ୍ଣପୁର, ବରଗଡ଼, କଳାହାଣ୍ଡି, କେନ୍ଦ୍ରାପଡା, ବାଲେଶ୍ବର, ରାୟଗଡା, ଢ଼େଙ୍କାନାଳ, ମୟୂରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ଼, ବଲାଙ୍ଗୀର, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡା ଆଦି ଜିଲାରେ ୨୦୦ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା କମ୍ ହୋଇଛି। ଯେଉଁଥିପାଇଁ ବିଲ ଫାଟି ଆଁ କଲାଣି। ଯଦି ସପ୍ତାହକ ମଧ୍ୟରେ ବର୍ଷା କିମ୍ବା ବିଲମୁଣ୍ଡରେ ଜଳସେଚନ ପାଣି ନ ପହଞ୍ଚେ ତେବେ ଗର୍ଭଣାକୁ ଧାନ ଥୋଡୁଅ ହୋଇ କ୍ଷୀର ଧରିବ କ’ଣ ତଳି ବଞ୍ଚାଇବା ମଧ୍ୟ କାଠିକର ହୋଇପଡିବ ବୋଲି ସରକାରଙ୍କ ତଥ୍ୟରୁ ଜଣାଯାଇଛି।
