୧୯ ଲଢ଼େଇ ପାଇଁ ମାହୋଲ୍ ପ୍ରସ୍ତୁତ ବଢିଚାଲିଛି ରାଜନୈତିକ ଉଷ୍ମତା,


ଭୁବନେଶ୍ୱର : ଡିସେମ୍ବର ମାସ ଶେଷ ବେଳକୁ । ୨୪ରେ ଆସିବେ ପ୍ରଧାନମନ୍ତ୍ରୀ, ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ଆଉ ସେହିଦିନ କଂଗ୍ରେସ ପାଳିବ କଳା ଦିବସ।ପରେ ପରେ ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ ଆର୍ଥାତ୍‌ ବର୍ଷ ଶେଷ ବେଳକୁ ସରଗରମ ହେବ ରାଜ୍ୟ ରାଜନୀତି। ବିଧାନସଭା ନିର୍ବାଚନରେ ବିଜେପିକୁ ଝଟ୍‌କା ପରେ ଓଡ଼ିଶା ଆସୁଛନ୍ତି ମୋଦି। ସରକାରୀ କାର୍ଯ୍ୟକ୍ରମ ସହ ବିଜେପିର ଜନସମ୍ବାଦ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ।ବରୁଣେଇ ପାହାଡ଼ ପାଦଦେଶରେ ବିଶାଳ ସମାବେଶର ଆୟୋଜନ କରାଯାଇଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତା ସେଠାକୁ ଯାଇ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି। ମୋଦି ଓ ଶାହାଙ୍କ ଫୋକସ୍‌ରେ ଓଡ଼ିଶା ଥିବାରୁ, ଏହି ଗସ୍ତ ବେଳେ ହିଁ ୧୯ ନିର୍ବାଚନର ବିଗୁଲ ଫୁଙ୍କିବେ ପ୍ରଧାନମନ୍ତ୍ରୀ।ଗତ ସେପ୍ଟେମ୍ବରରେ ତାଳଚେର ଓ ଝାରସୁଗୁଡା ସମାବେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ମୋଦି ନବୀନଙ୍କୁ ଶାଣିତ ଆକ୍ରମଣ କରିଥିଲେ। ତେବେ ୩ ହିନ୍ଦୀଭାଷୀ ରାଜ୍ୟରେ ଦଳର ପରାଜୟ ପରେ ନବୀନଙ୍କ ପ୍ରତି ସେହି ଆଭିମୁଖ୍ୟ ରହିବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ସେପଟେ ବିଜେଡି, ମୋଦିଙ୍କ କାର୍ଯ୍ୟକ୍ରମକୁ ନିଜ ପ୍ରତିଷ୍ଠା ଦିବସରେ କାଉଣ୍ଟର କରିବା ଚକ୍କରରେ ରହିଛି। ଜିଲ୍ଲା ପରିଷଦ ଜୋନ୍‌ରୁ ଆରମ୍ଭ କରି ବ୍ଳକ୍ ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ଦଳ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ପଂଚାୟତ ସ୍ତରରେ ନେତା ଓ କର୍ମୀଙ୍କୁ ଏହି ଦିବସରେ ସାମିଲ କରିବାକୁ ବି ରହିଛି ଯୋଜନା।ଆଉ ପ୍ରତିଷ୍ଠା ଦିବସ ସମାରୋହରେ ନବୀନ, ୧୯ ମହାସମର ପାଇଁ କର୍ମୀଙ୍କୁ ଆହ୍ୱାନ ଦେବେ ବୋଲି ଚର୍ଚ୍ଚା ହେଉଛି। ଏହାବାଦ୍ ଚାଷୀଙ୍କ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଛି।ଏସବୁ କାର୍ଯ୍ୟକ୍ରମ ବ୍ୟତୀତ ଚଳିତ ମାସରେ ଅନେକ ରାଜନୈତିକ ହଟଚମଟ ସୃଷ୍ଟି ହେବାର ବି ସମ୍ଭାବନା ରହିଛି। କିଛି ପ୍ରମୁଖ ନେତା ଦଳ ଛାଡ଼ିବେ ଓ ପୂର୍ବରୁ ଦଳ ଛାଡ଼ିଥିବା କିଛି ନେତା ନୂଆ ଇନିଂସ୍ ଆରମ୍ଭ କରିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *