ଭୁବନେଶ୍ୱର କଳିଙ୍ଗ ବିହାର କେ ୭ ଅଞ୍ଚଳରୁ ବିରଳ ଆଲବିନୋ ଚିତି ସାପ ଉଦ୍ଧାର କରାଯାଇଛି। ଶନିବାର ରାତି ପ୍ରାୟ ୧୦ ଟା ସମୟରେ ଏକ ଧଳା ରଙ୍ଗର ସାପ ରାସ୍ତା ପାରି ହେଉଥିବା ବେଳେ ସ୍ଥାନୀୟ ଯୁବକ ମାନେ ସାପଟିକୁ ବାଡ଼ି ସାହାଯ୍ୟରେ ଏକ ଖାଲି ପ୍ଲାଷ୍ଟିକ ପାଣି ବୋତଲରେ ପୁରାଇ ଦେଇଥିଲେ । ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦେବା ପରେ ସଦସ୍ୟ ପ୍ରଶାନ୍ତ ସାହୁ ସାପ ଥିବା ବୋତଲଟି ନେଇଥିଲେ। ମାତ୍ର ସେ ସାପଟିକୁ ଚିହ୍ନି ପାରି ନ ଥିଲେ। ରବିବାର ସକାଳେ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଧଳା ସାପଟିକୁ ଚିତି ସାପ ବୋଲି ଚିହ୍ନଟ କରିଥିଲେ । ଚିତି ସାପଟି ଏକ ରାତ୍ରିଚର ପ୍ରାଣୀ ହୋଇଥିବାରୁ ଏହାକୁ ଆଜି ରାତିରେ ଏକ ଜଙ୍ଗଲରେ ଛଡ଼ାଯିବ ବୋଲି ଶୁଭେନ୍ଦୁ କହିଛନ୍ତି ।
