ପୁରୀ: ଅନଲାଇନ୍ ମହାପ୍ରସାଦ ବିକ୍ରି ସହିତ ଅନଲାଇନ୍ ନିମନ୍ତ୍ରଣପତ୍ର ଗ୍ରହଣ କରିବା ପ୍ରସ୍ତାବ ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ ଏହାର ସ୍ବତ୍ତ୍ବଧିକାରୀ ହୋଇଥିବାରୁ କୌଣସି ଅନୁଷ୍ଠାନ ବା ବ୍ୟକ୍ତିବିଶେଷ ଅନଲାଇନ୍ରେ ମହାପ୍ରସାଦ ବିକ୍ରି କିମ୍ବା ଅନଲାଇନ୍ରେ ମହାପ୍ରଭୁଙ୍କ ନିମନ୍ତ୍ରଣପତ୍ର ପ୍ରଦାନ କରିପାରିବେ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଶ୍ରୀମନ୍ଦିର ପ୍ରଶାସନ କୌଣସି ଅନୁମତି ଦେଇନାହିଁ। ଯଦି କେହି ଏଭଳି କାମ କରୁଥାଏ ତେବେ ସଂପୃକ୍ତ ସଂସ୍ଥା ବା ବ୍ୟକ୍ତି ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।
