PS Andolan

ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ଉପ ନିର୍ବାଚନ : ବିଜେଡିକୁ ରବିନ୍ଦ୍ର ଭରସା,ବିଜେପି ପାଇଁ ଅନୁକମ୍ପା,କଙ୍ଗ୍ରେସ ପାଇଁ ପାରମ୍ପରିକ ଭୋଟ

ଅତିଥି ସମ୍ପାଦକ (ସସ୍ମିତା ପ୍ରଧାନ) :
ବାଲେଶ୍ଵର ସଦର ବିଧାୟକ ମଦନମୋହନ ଦତ୍ତ (ମଙ୍ଗୁଭାଇ)ଙ୍କ ଅକାଳ ବିୟୋଗ ପରେ ଏହି ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନର ଆବଶ୍ୟକତା ପଡ଼ିଛି। ଉପନିର୍ବାଚନ କୁ ଆଖି ଆଗରେ ରଖି ଏବେ ସବୁ ରାଜନୈତିକ ଦଳ ର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି।କିଏ କେଉଁ ଦଳରୁ ପ୍ରାର୍ଥୀ ହେବ,କାହା ସପକ୍ଷରେ ଭୋଟରଙ୍କ ହାଓ୍ବା ରହିଛି ପୁଣି କାହାର ଅଧିକ ବିଜୟ ସମ୍ଭାବନା ଅଧିକ,କଣ ପଦକ୍ଷେପ ନିଆଗଲେ ଦଳ ସପକ୍ଷରେ ଅଧିକ ଭୋଟ ମିଳିପାରିବ ଏହା ଏବେ ସବୁ ପ୍ରମୁଖ ଦଳର ହାଇକମାଣ୍ଡଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ବାଲେଶ୍ଵର ଜିଲ୍ଲା ସଦର ମହକୁମାକୁ ନେଇ ସଦର ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିବାରୁ ଏହି ମୁଣ୍ଡବିନ୍ଧା ହେବା ସ୍ବାଭାବିକ । ବର୍ତମାନର ସ୍ଥିତି ଅନୁଯାୟୀ ୩ ପ୍ରମୁଖ ଦଳ କୁହାଯାଉ ଥିବା ଶାସକ ବିଜେଡି,କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ଓ ବିରୋଧୀ କଂଗ୍ରେସ ପାଇଁ ଏହି ଉପ ନିର୍ବାଚନ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି। ଏକଦା କଙ୍ଗ୍ରେସ ଓ ବିଜେଡି ପାଇଁ ଦୁର୍ଗ ଥିବା ଏହି ନିର୍ବାଚନ ମଣ୍ଡଳୀରେ
୨୦୧୯ ନିର୍ବାଚନରେ ବିଜେପି ଖାତାକୁ ଯାଇଥିଲା। ବିଜେପିର ମଙ୍ଗୁ ଭାଇ ସେହି ନିର୍ବାଚନରେ ବାଜି ମାରି ନେଇଥିଲେ ବି ବିଜେଡିର ପରାଜୟକୁ ଲୋକେ ସହଜରେ ଗ୍ରହଣ କରିପାରି ନଥିଲେ।କାରଣ ବିଜେଡି ଦଳ ସପକ୍ଷରେ ହାଓ୍ବା ଥିଲେ ମଧ୍ୟ ଦଳରୁ ପ୍ରାର୍ଥୀ ହୋଇଥିବା ଜୀବନ ପ୍ରଦୀପ ଦାସ ନିଜକୁ ବିଜେପିର ମଙ୍ଗୁ ଭାଇଙ୍କ ସାମ୍ନାରେ ପ୍ରଭାବୀ ସାବ୍ୟସ୍ତ କରିନଥିଲେ। ଏକଥା ବି ସତ ୨୦୧୯ ର ସେହି ନିର୍ବାଚନରେ ଦଳ ସପକ୍ଷରେ ଯାହାବି କିଛି ଭୋଟ ମିଳିଥିଲା ତାହା କେବଳ ରବିନ୍ଦ୍ର ଙ୍କ ପାଇଁ। ତେବେ ବର୍ତ୍ତମାନ ମଙ୍ଗୁ ଭାଇଙ୍କ ମୃତ୍ୟୁ ପରେ ବିଜେପି ଦଳରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିବା ବେଳେ ଦଳର ପରବର୍ତ୍ତୀ ମଙ୍ଗୁଆଳ କିଏ ହେବ ତାକୁ ନେଇ ଦଳ ଭିତରେ ମାନସ ମନ୍ଥନ ଚାଲିଥିବା ବେଳେ ବିଜେଡିରେ କିନ୍ତୁ ପ୍ରାକ୍ତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନାଙ୍କୁ ନେଇ ଭୋଟର ମାନେ ଉତ୍ସୁକତା ଦେଖାଉ ଥିବାରୁ ଏହା ବିଜେଡ଼ି ସପକ୍ଷରେ ଯାଉଛି ବୋଲି ଚର୍ଚ୍ଚା ଧରିଛି। ସେ ଦୃଷ୍ଟିରୁ କହିବାକୁ ଗଲେ ବର୍ତ୍ତମାନ ସ୍ଥିତିରେ ବିଜେଡି ହିଁ ସବୁଠୁ ଭଲ ସ୍ଥିତିରେ ଅଛି।କାରଣ ବିଜେଡିରେ ଜିଲ୍ଲା ସଭାପତି ଭାବେ ମଙ୍ଗ ଧରିଥିବା ପୂର୍ବତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା ଗତ ୨୦୧୯ ନିର୍ବାଚନର ସାଂସଦ ପ୍ରାର୍ଥୀ ଭାବେ ପରାଜିତ ହୋଇ ମଧ୍ୟ ସମଗ୍ର ଜିଲ୍ଲାରେ ଦଳର ନେତୃତ୍ବ ନେବାରେ ଯେଉଁ ପରାକାଷ୍ଠା ଦେଖେଉଛନ୍ତି,ସେଦୃଷ୍ଟିରୁ ଦଳ ପୂର୍ବାପେକ୍ଷା ଜିଲ୍ଲାରେ ଅଧିକ ସଙ୍ଗଠିତ ରହିଛି। ପୁଣି ଇଂ ଜେନା ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରେ ୨୦୧୯ ନିର୍ବାଚନ ପରଠାରୁ ଅଧିକ ସକ୍ରିୟ ହୋଇ ଘରକୁ ଘର ବୁଲି ଦଳ ପାଇଁ,ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ,ଦଳ ସହ ଛାତ୍ର,ଯୁବକ,ମହିଳା ଏପରିକି ସବୁବର୍ଗର ଲୋକଙ୍କୁ ଯୋଡିବା ପାଇଁ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହାହିଁ ତାଙ୍କ ସପକ୍ଷରେ ଓ ଦଳ ସପକ୍ଷରେ ଏକ ହାଓ୍ବା ସୃଷ୍ଟି କରୁଛି। ଯେଉଁ ହାଓ୍ବାକୁ ଦେଖି ପ୍ରତିଦ୍ବନ୍ଦୀ ବିଜେଡି ଓ କଙ୍ଗ୍ରେସ ଏବେ ଚିନ୍ତାରେ ପଡ଼ିଛନ୍ତି। ବିଜେଡି ଭିତରେ ରବିନ୍ଦ୍ର ହିଁ ସଦର ନିର୍ବାଚନ ମଣ୍ଡଳୀର ସର୍ବମାନ୍ଯ ନେତା ଓ ଅନ୍ୟ ଯେକୌଣସି ନେତା ତୁଳନାରେ ରବିନ୍ଦ୍ର ଙ୍କ ବିଜୟ ସମ୍ଭାବନା ଅଧିକ ବୋଲି ଦଳର ନେତା ଠାରୁ କର୍ମୀ ଯାଏ ସମସ୍ତେ ବିବେଚନା କରୁଛନ୍ତି। ଏପରିକି ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ପ୍ରତାପ ଜେନା ମଧ୍ୟ ରବିନ୍ଦ୍ର ଙ୍କ ସପକ୍ଷରେ ଏପରି ହାଓ୍ବା ଦେଖି ବିସ୍ମୟ ପ୍ରକାଶ କରିବା ସହ ଦଳର ହାଇକମାଣ୍ଡଙ୍କୁ ମଧ୍ୟ ଏନେଇ ରିପୋର୍ଟ ଦେଇଛନ୍ତି। ଅନ୍ୟପକ୍ଷରେ ମଙ୍ଗୁ ଭାଇଙ୍କ ପରେ ବିଜେପିର କିଏ ମଙ୍ଗୁଆଳ ହେବ ସେ ଗଣିତର ଅଙ୍କ ଏବେ ଦଳ ଭିତରେ ଛିଡୁ ନାହିଁ।ଗୋଟିଏ ଗୋଷ୍ଠୀ ମଙ୍ଗୁ ଭାଇଙ୍କ ପରିବାରରୁ କିମ୍ବା କେହି ନିକଟ ସମ୍ପର୍କୀୟ ପ୍ରାର୍ଥୀ ହେଲେ ଦଳ ସପକ୍ଷରେ ଅଧିକ ଅନୁକମ୍ପା ମୂଳକ ଭୋଟ ମିଳିବ ଓ ଯଦ୍ବାରା ବିଜୟ ସମ୍ଭାବନା ଅଧିକ ରହିବ ବୋଲି ଦାବୀ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଦଳ ଆଉ କାହାକୁ ପ୍ରାର୍ଥୀ ଘୋଷଣା କରୁ ବୋଲି ଦାବି କରୁଛି।କଙ୍ଗ୍ରେସ ୨୦୧୯ ନିର୍ବାଚନ ରେ ଏଠାରେ ଶୋଚନୀୟ ପରାଜୟ ବରଣ କରିଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା,ପାରମ୍ପାରିକ ଭୋଟକୁ ଆୟୁଧ କରି ସଫଳତାର ସହ ନିର୍ବାଚନ ବୈତରଣୀ ପାରିହେବ ବୋଲି ଦାବି କରୁଛି। ସେହିପରି ସଦର ନିର୍ବାଚନ ମଣ୍ଡଳୀରେ ସିପିଆଇ(ଏମ)ର ମଧ୍ୟ ଏକ ନିଜସ୍ୱ ଭୋଟ ବ୍ୟାଙ୍କ ଥିବାରୁ ଏହି ଦଳ କାହାକୁ ସମର୍ଥନ ଦେବ ଅଥବା ସିଧାସଳଖ ନିର୍ବାଚନ ଲଢିବ ତା ଉପରେ ସମସ୍ତଙ୍କର ଆଖି।ପୁଣି ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରେ ସବୁବେଳେ ରାଜନୈତିକ ଦ୍ବାରା ରଖିଥିବା ଅରୁଣ ଦେଙ୍କ ଭୂମିକା ଉପରେ ମଧ୍ୟ ରାଜନୈତିକ ବିଶାରଦ ମାନେ ନଜର ରଖିଛନ୍ତି।

5,721 total views, 36 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.